ସଭାପତିଙ୍କ ସନ୍ଦେଶ


            ପଶ୍ଚିମ ଓଡିଶାର ବରଗଡ (ଜିଲ୍ଲା ସଦର- ମହକୁମା) ଭାରତର ସାଂସ୍କୃତିକ ମାନଚିତ୍ରରେ  ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ  I ପ୍ରତିବର୍ଷ ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବିରାଟ ଧନୁଯାତ୍ରା ମହୋତ୍ସବ  ଏହି ବିକାଶୋନ୍ମୁଖୀ ସହରକୁ ଏକ ଭିନ୍ନ ପରିଚୟ ଦେଇଥାଏ I ବିଶ୍ୱର  ବୃହତ୍ତ ଖୋଲା ରଂଗମଞ୍ଚ ଭାବରେ ଆଦୃତ ଏହି ଯାତ୍ରା ସାଧାରଣତଃ ଇଂରାଜୀ କ୍ୟାଲେଣ୍ତର୍ ର ଡିସେମ୍ବର-ଜାନୁୟାରୀ ମାସ ମଧ୍ୟରେ ଅନୁଷ୍ଠିତ ହୋଇଥାଏ I ଭାରତର ଅନ୍ୟ କୌଣସି ସ୍ଥାନରେ କ୍ୱଚିତ୍  ଏପରି ଏକ ବିଶାଳ ମହୋତ୍ସବ ପାଳିତ ହେଉଥିବାର ଦେଖାଯାଏ I ଏହି ମହୋତ୍ସବ  ପାଳନର ସ୍ଥାନ ଓ ଅବଧି ନିଶ୍ଚିତ ଭାବରେ ଅତୁଳନୀୟ ଅଟେ I ପ୍ରାୟ  ତିରିଶ କିଲୋମିଟର ପରିସୀମା ମଧ୍ୟରେ ଦୀର୍ଘ ଏଗାର ଦିନ ବ୍ୟାପୀ ପାଳିତ ହେଉଥିବା ଏହି ଉତ୍ସବରେ ସମଗ୍ର ବରଗଡ ସହର ସମେତ ନିକଟସ୍ଥ ଅମ୍ବାପାଲି ଗ୍ରାମ ଦୁଇଟି ପୌରାଣିକ ସହର ମଥୁରା ଓ ଗୋପପୁରରେ  ରୂପାନ୍ତରିତ ହୋଇଯାଇଥାନ୍ତି I ଏହି ଉତ୍ସବ ଜନସମୂହର ଭାବପ୍ରବଣତା ଓ ଭକ୍ତିଭାବର  ଅପୂର୍ବ ସଙ୍ଗମର ନିଦର୍ଶନ ଅଟେ I

           ‘ଧନୁ’ ଉପରେ ପର୍ଯ୍ୟବସିତ ଥିବାରୁ ଏହି ଉତ୍ସବ ଧନୁଯାତ୍ରା ନାମରେ ଅଭିହିତ I ଧନୁ କେବଳ ଯୋଦ୍ଧାର ଅସ୍ତ୍ର ମାତ୍ର ନୁହେଁ ଏହା ବୀର ପୁରୁଷର ଶୌର୍ଯ୍ୟକୁ ମଧ୍ୟ ସୂଚିତ କରିଥାଏ I ତଦନୁସାରେ ଦୈତ୍ୟରାଜ କଂସର ବୀରତ୍ୱର ଓ ଅହଂକାରର କେନ୍ଦ୍ରବିନ୍ଦୁ ଥିଲା ଏହି ‘ଧନୁ’ I ଏହା ସହ ତା’ର ଏକ ଭ୍ରାନ୍ତ  ଧାରଣା ଥିଲା ଯେ, ସେ ଅପରାଜେୟ ଏବଂ ତାର ‘ଧନୁ’ ଭଗ୍ନ ହେବା ଅସଂଭବ I କିନ୍ତୁ ଏହି ଅହଂକାର ଦିନେ ଚୂର୍ଣ୍ଣ ହୁଏ ଏବଂ ବାଳକୃଷ୍ଣଂକ ହାତରେ କଂସର ପତନ ଘଟିଥାଏ I ଧନୁଯାତ୍ରା ମହୋତ୍ସବର  ପୃଷ୍ଠଭୂମି ଏହି କଥାବସ୍ତୁ ଉପରେ ଆଧାରିତ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ କୁ ହିଁ ଏହା ପ୍ରଦର୍ଶିତ କରିଥାଏ I

            ଏହାମଧ୍ୟ କୁହାଯାଏ ଯେ ସ୍ୱାଧୀନତା ପ୍ରାପ୍ତିସହ ଭାରତର ସ୍ୱତନ୍ତ୍ର  ରାଷ୍ଟ୍ର ଗଠନ  କରିବା ଭଳି ମହାର୍ଘ ମୁହୂର୍ତ୍ତକୁ ସ୍ମରଣ କରିବା ଉଦ୍ଦେଶ୍ୟରେ  ବରଗଡ ସହରର ହେମାଲୀମାନଂକ ଦ୍ୱାରା  ପ୍ରଥମେ  ୧୯୪୮ ମସିହାରେ ଧନୁଯାତ୍ରା ମହୋତ୍ସବର ଆୟୋଜନ କରାଯାଇଥିଲା I  କଂସାସୁରର  ମୃତ୍ୟୁ ବ୍ରିଟିଶ ଶାସନର ଅବସାନକୁ ହିଁ ସୂଚାଉ ଥିଲା I ଧର୍ମୀୟ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜଣାପଡେ ଯେ, ସେ ସମୟରେ ବରଗଡରେ ବୈଷ୍ଣବ ଧର୍ମ ଓ ଶୈବ ଧର୍ମର  ସମନ୍ୱୟ ଘଟିଥିଲା ଏବଂ ଏହାର ଫଳ ସ୍ୱରୂପ ଧନୁଯାତ୍ରା ମହୋତ୍ସବ ପାଳନର କଥା ଚିନ୍ତା କରାଯାଇଥିଲା I

             ପଶ୍ଚିମ ଓଡିଶାର ସବୁଠାରୁ ଜନପ୍ରିୟ ଲୋକ ନୃତ୍ୟ ଭାବେ ପରିଗଣିତ ବରଗଡର ସଞ୍ଚାର କଳା ବା ବାହାକ-ଗାହାକ ଯାତ୍ରା ସେ ସମୟରେ ଧନୁଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲା I ସଂଚାର କଳାକାରମାନେ  ରାତିସାରା କୃଷ୍ଣଲୀଳା ପରିବେଷଣ କରି  ଆଖପାଖ  ଅଞ୍ଚଳରୁ ଆସୁଥିବା ଦର୍ଶକମାନଂକୁ ବିମୋହିତ କରି ଧନୁଯାତ୍ରା ପ୍ରତି ଆର୍କଷିତ କରି ରଖୁଥିଲେ  I ଧନୁଯାତ୍ରା ଓ ସଞ୍ଚାର ନୃତ୍ୟର ଅନନ୍ୟ  ସଂର୍ପକକୁ ମନେପକାଇବା ପାଇଁ  ଏବେ  ମଧ୍ୟ  ପ୍ରତିବର୍ଷ  ମାର୍ଗଶୀର ଶୁକ୍ଲପକ୍ଷର ଏକ ଶୁଭ ଲଗ୍ନରେ ହାଟପଦା ସ୍ଥିତ ସଂଚାର ମଣ୍ତଳୀରେ ଶୁଭସ୍ତମ୍ଭ  ସ୍ଥାପନ କରାଯାଏ I ଏହି ଅବସରରେ ଧନୁଯାତ୍ରା ମହୋତ୍ସବର ସଫଳ ପ୍ରସ୍ତୁତି ନିମନ୍ତେ ପୂଜା ସମାପନ କରାଯାଇଥାଏ I

              ଭାରତର  ଅଧିକାଂଶ ପୂଜାପାର୍ବଣ ଭଳି ଏହି ଯାତ୍ରା ମଧ୍ୟ କୃଷିକାର୍ଯ୍ୟର  ସମୟ କ୍ରମ ସହ ଜଡିତ I ଧାନ  ହେଉଛି ଏହି ଅଞ୍ଚଳର  ମୁଖ୍ୟ ଫସଲ ଏବଂ ଏହା ଅମଳ ହେବା ପରେ ପରେ ହିଁ ଏହି ଉତ୍ସବ ପାଳିତ ହୋଇଥାଏ I 

ଧନୁଯାତ୍ରାର କଥାବସ୍ତୁ ହରିବଂଶ , କୃଷ୍ଣଲୀଳା, ଗୋପଲୀଳା , ବାଳ୍ୟଲୀଳା ପ୍ରଭୃତି ପୁରାଣରୁ ଆନୀତ I ପ୍ରାୟତଃ ସମସ୍ତ ଚରିତ୍ର ଆଞ୍ଚଳିକ କଳାକାରମାନଂକ ଅଭିନୟରେ ସମାହିତ ହୋଇଥାଏ  I ଏହା ଅନୁମେୟ ଯେ ଏହି ମହୋତ୍ସବ, ପୌରାଣିକତା ଓ ବାସ୍ତବିକତାର ଏକ ମଧୁର ସମନ୍ୱୟ ଅଟେ I ଯେହେତୁ ଏହା ଏକ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୀତ ଯାତ୍ରା ଅଟେ, ବରଗଡର ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ସ୍ଥାନ ପାଲଟି ଯାଏ  ଏହି ପ୍ରାକୃତିକ ମଞ୍ଚର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ  I ତେଣୁ ଏହି ବିରାଟ ନାଟକର ବିଭିନ୍ନ ଭାଗ ମୁଖ୍ୟ  ମଞ୍ଚ ବ୍ୟତିରେକ ପବିତ୍ର ମନ୍ଦିରଠାରୁ ସାଧାରଣ ପୋଖରୀରେ ମଧ୍ୟ  ଅଭିନୀତ ହୋଇଥାଏ ଏବଂ ସମଗ୍ର ବରଗଡ ସହର ଏକ ଧର୍ମନିରପେକ୍ଷ ଖୋଲା ମଞ୍ଚରେ ରୂପାନ୍ତରିତ ହୋଇଯାଏ I

           ବରଗଡ  ସହରର ଭୌଗୋଳିକ ଅବସ୍ଥିତି ଅନୁସାରେ ଏହା  ଦୈତ୍ୟରାଜ କଂସଂକ ରାଜ୍ୟ ମଥୁରା-ନଗରୀ ଭାବେ ବିବେଚିତ ହୋଇଥାଏ , ନିକଟସ୍ଥ ଅମ୍ବାପାଲି  ଗ୍ରାମକୁ ଗୋପପୁର ଭାବେ ଗ୍ରହଣ କରାଯାଏ  I ଏଠାରେ ବାଳକୃଷ୍ଣ ତାଂକର ଲୀଳା ପ୍ରଦର୍ଶନ କରିଥାନ୍ତି, ଠିକ ସେହିପରି ବରଗଡ ଓ ଅମ୍ବାପାଲିକୁ ସଂଯୋଗ କରୁଥିବା ଜୀରା ନଦୀ,  ଯମୁନା ନଦୀ ଭାବରେ ଗୃହୀତ ହୋଇଥାଏ I  ଗୋପପୁର ( ଅମ୍ବାପାଲି )ର ସମସ୍ତ ଅଧିବାସୀ କୃଷ୍ଣ-ଭକ୍ତିରେ ନିମଗ୍ନ ଥା‘ନ୍ତି ଓ ଯାତ୍ରାସମୟରେ  ଗୋପପୁରର ସମସ୍ତ ବାଳକ, ବାଳକୃଷ୍ଣଂକ ସଖା ପାଲଟି ଯାଇଥାନ୍ତି I ସମଗ୍ର ଗ୍ରାମଟି ଅତୁଳନୀୟ ଧର୍ମୀୟ ଆବେଶରେ ଆହ୍ଲାଦିତ ଥାଏ I ଯେତେବେଳେ କୃଷ୍ଣ-ବଳରାମ ମଥୁରା ନଗରୀ ( ବରଗଡ) କୁ ଆସନ୍ତି ସମଗ୍ର ଜନତା ତାଂକୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପୂଜା  କରନ୍ତି ଏବଂ ସ୍ୱାଗତ କରିଥାନ୍ତି I

           ବରଗଡ ଧନୁଯାତ୍ରା ଦେବକୀ-ବସୁଦେବଂକ ବିବାହ ଉପାଖ୍ୟାନରୁ ଆରମ୍ଭ   ହୁଏ ଏବଂ କଂସ-ବଧ ପରେ ଉଗ୍ରସେନଂକ ସିଂହାସନ  ଆରୋହଣରେ ସମାହିତ ହୋଇଥାଏ I ପ୍ରାୟ ଏଗାର ବର୍ଷର ପୌରାଣିକ କଥାବସ୍ତୁକୁ ଅତି ନିଖୁଣ ଭାବରେ ସଂଯୋଜିତ କରାଯାଇଥାଏ ମାତ୍ର ଏଗାର ଦିନରେ I

            ସାଧାରଣତଃ  ପୌରାଣିକ ବିଷୟାନୁସାରେ  କୃଷ୍ଣ  ସମସ୍ତ  ଘଟଣାର ମହାନାୟକ,  କିନ୍ତୁ ବରଗଡ ଧନୁଯାତ୍ରାରେ ତାର ବ୍ୟତିକ୍ରମ ଦେଖାଯାଏ, ଏଠାରେ ଖଳନାୟକ  କଂସଂକ ଭୂମିକା ଅନନ୍ୟ  I ମହାରାଜ  କଂସଂକ ରାଜହସ୍ତୀରେ ନଗର ପରିକ୍ରମା କରିବା ହେଉଛି ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ I ମନ୍ତ୍ରୀ ପାରିଷଦଂକ ସହ  ଦୈତ୍ୟରାଜ ସହରର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ନିଜ ପ୍ରଜାଂକ ସମସ୍ୟା  ବିଷୟରେ ଅବଗତ ହୁଅନ୍ତି ଏବଂ ସଂପୃକ୍ତ ଅଧିକାରୀଂକୁ ଏହାର  ସମାଧାନ ପାଇଁ  ବିହିତ ପଦକ୍ଷେପ ନେବା ନିମନ୍ତେ  ନିର୍ଦ୍ଦେଶ ଦେଇଥାନ୍ତି I ଦୋଷୀକୁ ଦଣ୍ତ ଦେବା ହେଉଛି ବରଗଡ ଧନୁଯାତ୍ରାର ପରମ୍ପରା , ମହାରାଜ କଂସ ନଗର- ପରିକ୍ରମା ସମୟରେ  ସମ୍ମୁଖରେ ଥିବା ଦୋଷୀକୁ ଦଣ୍ତବିଧାନ କରିଥାନ୍ତି  କିମ୍ବା ନିଜ ରାଜଦରବାରକୁ ଡକାଇ ଅର୍ଥଦଣ୍ତ ବା  ଶାରୀରିକ ଦଣ୍ତରେ  ଦଣ୍ତିତ କରିଥାନ୍ତି  I ଏହି ଏଗାର ଦିନର ମହୋତ୍ସବରେ  ସମସ୍ତ ବରଗଡବାସୀ ଏବଂ ଏହି ସହରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମହାରାଜ କଂସଂକ ଆଦେଶ ମାନିବାକୁ ବାଧ୍ୟ, ଏପରିକି ଜିଲ୍ଲା  ପ୍ରଶାସନ ମଧ୍ୟ ତାକୁ ଅବଜ୍ଞା କରନ୍ତି ନାହିଁ I ସାମାଜିକ ସାଂସ୍କୃତିକ ରାଜନୈତିକ ଅବା ଦାପ୍ତରିକ  ପଦମର୍ଯ୍ୟାଦା ନିର୍ବିଶେଷରେ ସମସ୍ତଂକୁ ସେ ନିଜ ଅଧୀନସ୍ଥ କରିଥାନ୍ତି I ବରଗଡ ଧନୁଯାତ୍ରାର  କଂସ ମହାରାଜା  ଜଣେ ପ୍ରକୃତ ଏକଛତ୍ରବାଦୀ ଶାସକ ପରି ମନେ ହେଉଥିଲେ ମଧ୍ୟ ତାଂକ ଶାସନ ପ୍ରଣାଳୀ ଅନେକାଂଶରେ ଏକ ଉନ୍ନତ ଶାସନ ପ୍ରଣାଳୀର ପ୍ରତୀକାତ୍ମକ ନିଦର୍ଶନ ଅଟେ I

           ଦେଓଗାଁର ବୁନ୍ଦେ ରଥ ବରଗଡ ଧନୁଯାତ୍ରାର ପ୍ରଥମ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇ ନିଜ ଅଭିନୟ ଦ୍ୱାରା  ଇତିହାସ ସୃଷ୍ଟି କରିଯାଇଛନ୍ତି I  ଠିକ୍ ସେହିପରି ଭୀମସେନ ତ୍ରିପାଠୀ, ଯୁଧିଷ୍ଠିର ଶତପଥୀ, ରାଧେଶ୍ୟାମ ଦାଶ, ଦେବେନ୍ଦ୍ର ବିଶ୍ୱାଳ୍, ନୀଳାଞ୍ଚଳ ଦାଶ,ସଞ୍ଜୀବ କୁମର ଦାଶ, ଗୋପାଳ ସାହୁ, ହୃଷିକେଶ ଭୋଇ, ଭୁବନେଶ୍ୱର ପ୍ରଧାନ ପ୍ରମୂଖ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇ ନିଜ  ନିଜର ଅଭିନୟ ପ୍ରତିଭା ପ୍ରଦର୍ଶନ କରିଯାଇଛନ୍ତି I  ଅପର ପକ୍ଷରେ ଅନେକ ଶିଶୁ କଳାକାର କୃଷ୍ଣ, ବଳରାମ ଭୂମିକାରେ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଂକୁ ବିମୋହିତ କରିଛନ୍ତି  I ପ୍ରାଣବନ୍ଧୁ କର ବରଗଡ ଧନୁଯାତ୍ରାର ପ୍ରଥମ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ I ଏହି ମହୋତ୍ସବରେ ସଂଶ୍ଲିଷ୍ଟ ପ୍ରତ୍ୟେକ କଳାକାରଂକ ନିଖୁଣ ଅଭିନୟ ହେତୁ ଆଜି ଏହି ଖୋଲା ମଞ୍ଚ ପ୍ରସିଦ୍ଧିର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି I

               ଧନୁଯାତ୍ରା ସମୟରେ ବରଗଡ ସହରରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଜନତାଂକ ସମାଗମ ହୋଇଥାଏ ଏବଂ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା କଳାକାର ମାନେ ସେମାନଂକର ପାରଦର୍ଶିତା ପ୍ରଦର୍ଶନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇଥାନ୍ତି I ଏହି ମଞ୍ଚରେ ପ୍ରତିଭା ପୂଜାର ଅବସର ମଧ୍ୟ ମିଳେ, ଅନେକ ପ୍ରତିଭାଦୀପ୍ତ ବ୍ୟକ୍ତି  ସମ୍ମାନିତ ହୁଅନ୍ତି   କଂସ ମହାରାଜଂକ ରାଜଦରବାରରେ I  ବିଭିନ୍ନ ଶ୍ରେଣୀ, ଧର୍ମ, ଜାତି ଓ ସଂପ୍ରଦାୟର ଲୋକଂକ ସାମଗ୍ରିକ ସହଯୋଗରେ ଏହି ଯାତ୍ରା ସମାହିତ ହୋଇଥାଏ I ଏହା ସୁନ୍ଦର ଧର୍ମନିରପେକ୍ଷ ସମାଜ  ନିର୍ମାଣରେ ପ୍ରେରଣା ଯୋଗାଏ  I ଏହି  ଅଞ୍ଚଳର ସମାଜିକ-ସାଂସ୍କୃତିକ ଅଭିବୃଦ୍ଧିରେଏହି ମହୋତ୍ସବ ମୁଖ୍ୟ ଭୂମିକା ନିର୍ବାହ  କରିଥାଏ I

         ଅର୍ଥନୈତିକ ଦୃଷ୍ଟିକୋଣରୁ ବରଗଡ ଧନୁଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଯେହେତୁ ଏହା ଧାନ ଅମଳ କଲା ପରେ ପରେ ହିଁ ଆୟୋଜିତ ହୋଇଥାଏ, ଆଖପାଖରେ  ଥିବା ଗ୍ରାମାଞ୍ଚଳ ଲୋକ ମାନେ ଅର୍ଥ ଖର୍ଚ୍ଚ କରିବାକୁ ଦ୍ୱିଧା ପ୍ରକାଶ କରନ୍ତି ନାହିଁ ତେଣୁ କେବଳ ମନୋରଞ୍ଜନର ସ୍ଥାନ ମାନଂକରେ ନୁହେଁ, ଦୋକାନ ବଜାର ମାନଂକରେ ମଧ୍ୟ ସେମାନଂକର ଭିଡ ଦେଖିବାକୁ ମିଳେ I ନିକଟରେ ଏବଂ ଦୂରରେ ଥିବା ସମସ୍ତ ବର୍ଗର କାରିଗରମାନଂକ ପାଇଁ ଏହି ଯାତ୍ରା ଅପୂର୍ବ ସୁଯୋଗ ଆଣିଦିଏ  I ସେମାନେ ତାଂକ ପ୍ରସ୍ତୁତ ଦ୍ରବ୍ୟ ସବୁକୁ ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ସୁଯୋଗ ପାଇଥାନ୍ତି I ଏତଦ୍ ବ୍ୟତୀତ ବରଗଡ ଧନୁଯାତ୍ରା ତାର ପ୍ରସିଦ୍ଧି ହେତୁ ଦେଶ ବିଦେଶର ପର୍ଯ୍ୟଟକଂକୁ ଆକୃଷ୍ଟ  କରିଥାଏ ଏବଂ ଏହାର ବୈଚିତ୍ର୍ୟ ରେ ସମସ୍ତେ ଅଭିଭୂତ ହୋଇ ଉଠନ୍ତି I

            ଲୋକମାନଂକ ଦ୍ୱାରା ସର୍ବାଗ୍ରେ ଆଦୃତି ଲାଭ  କରିଥିବା ଲୋକ ମହୋତ୍ସବମାନଂକ ମଧ୍ୟରୁ  ବରଗଡ ଧନୁଯାତ୍ରା ସର୍ବବୃହତ୍ ଖୋଲା ମଞ୍ଚରେ ସାମାଜିକ ପ୍ରତିବଦ୍ଧତା ସହ ପରିବେଷିତ ହୋଇଥାଏ I ଏହା ପରବର୍ତ୍ତୀ ପୀଢିମାନଂକୁ  ଏ ମାଟିର ସାମାଜିକ-ସାଂସ୍କୃତିକ ବାର୍ତ୍ତା ପ୍ରେରଣ କରୁଥିବ I

ଶ୍ରୀ ଆଦିତ୍ୟ ଗୋୟଲ, ଭା.ପ୍ର.ସେ ଜିଲ୍ଲାପାଲ ଏବଂ ସଭାପତି ଧନୁଯାତ୍ରା ମହୋତ୍ସବ ସମିତି

  • ଫୋନ: ୦୬୬୪୬-୨୩୨୩୪୦
  • ଫେକ୍ସ: ୦୬୬୪୬-୨୩୨୮୪୦
  • Email : president@bargarhdhanuyatra.in